ସ୍କୁଲ ଉଚ୍ଛେଦ ପ୍ରତିବାଦ : ଗରଗଡଛାପର ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

0 134

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଆଦିବାସୀ ପଡ଼ା ଭାବେ ପରିଚିତ ଖୁଣ୍ଟସମଲାଇ ପଞ୍ଚାୟତ ଅଧୀନ ଗରଗଡଛାପର ଗ୍ରାମରେ ସ୍କୁଲକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ଏହି ଗ୍ରାମଟି ଗୋଟିଏ ୱାର୍ଡ ବିଶିଷ୍ଟ ଜନସଂଖ୍ୟା ପ୍ରାୟ ୨୮୦, ୧୯୬୨ ମସିହାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା । କମ ପିଲା ହେତୁ ପାଖ ସ୍କୁଲର ଦୂରତା କମ୍‌ ଦର୍ଶାଇ ସ୍କୁଲଟିକୁ ଢୋଲ ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା । ଏନେଇ ଗ୍ରାମବାସୀ ଗତ ତା ୨୭/୦୧/୨୦୨୧ ରୁ ସ୍କୁଲ ସମ୍ମୁଖ ରେ ଅନିର୍ଦ୍ଦିଷ୍ଟ ସମୟ ଆମରଣ ଅନଶନରେ ବସିଥିଲେ । ଅନଶନର ୬ ଦିନ ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ ଓ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ଅନଶନରୁ ଓହରି ଯାଇଥିଲେ । ଗ୍ରାମଟି ଆଦିବାସୀ ବହୁଳ ହେତୁ ସ୍କୁଲକୁ ବନ୍ଦ ନ କରିବାକୁ ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନୀରଞ୍ଜନ ବିଶି ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ଶିକ୍ଷା ବିଭାଗ ମନ୍ତ୍ରୀ, ସଚିବଙ୍କୁ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାମବାସୀ ଏନେଇ ଅନେକ ଥର ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏଯାଏ ସ୍କୁଲକୁ କାର୍ଯ୍ୟକ୍ଷମ କରାନଯାଇ ନ ଥିବାରୁ ଗ୍ରାମବାସୀ ସମୂହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗ୍ରାମରୁ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେୁ ୱାର୍ଡମେମ୍ବର ପାଇଁ ମଧ୍ୟ ନାମାଙ୍କନ କରିନାହାନ୍ତି ।

hiranchal ad1
Leave A Reply

Your email address will not be published.

17 − thirteen =