ଆସନ୍ତାକାଲି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ

0 52

ପୁରୀ : ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି । ନିଆଳିରୁ ପ୍ରଭୁ ମାଧବାନନ୍ଦ ଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକ ମାନେ ଆଜି ଅପରାହ୍ନରେ ଗୁଣ୍ଡିଚା ମନ୍ଦିରରେ ପହଂଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସେବକ ଓ ଭକ୍ତ ମାନେ ପତାକା ଓ ପାରମ୍ପରିକ ବାଦ୍ୟ, ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଏହି ପୋଢୁଆଁ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା । ମଙ୍ଗଳା ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳିର ମାଧବାନନ୍ଦ ଜୀଉ ବୋଲି ଉଲ୍ଲେଖ ରହିଛି । ପୂର୍ବରୁ ପୋଢ଼ୁଆଁ ଭାର ଆସୁଥିଲା । ତେବେ କେତେକ ସମସ୍ୟା ଯୋଗୁ ଏହା ଆସି ପରି ନ ଥିଲା । ଗତ୨୦୧୯ ମସିହାରେ ସ୍ଥାନୀୟ ଲୋକମାନେ ଏକାଠି ହୋଇ ପୁଣି ଏହି ପରମ୍ପରା ଆରମ୍ଭ କରିଛନ୍ତି । ସେପଟେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କିଛି ପରମ୍ପରା ନ ଥିବା ସ୍ପଷ୍ଟୀକରଣ ଦିଆଯାଇଛି । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ଏହି ପୋଢୁଆଁ ପରମ୍ପରା ଓ ମାଧବାନନ୍ଦ ଜୀଉ ମହାପ୍ରଭୁଙ୍କ ମାମୁଁ ଘର ବୋଲି କିଛି ଉଲ୍ଲେଖ ନାହିଁ । ଏଣୁ ଭକ୍ତ ମାନେ ଦାନ ଦେବା ହିସାବରେ ଏହି ସବୁ ସାମଗ୍ରୀ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

5 × one =