ଏନଜିଟିର ବଡ କାର୍ଯ୍ୟାନୁଷ୍ଠାନ :
ତେଲେଙ୍ଗାନା ସରକାରକୁ ୩୮୦୦ କୋଟିର ଜରିମାନା

0 38

ନୂଆଦିଲ୍ଲୀ : ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ବିଫଳ ହୋଇଥିବାରୁ ତେଲେଙ୍ଗାନା ସରକାରଙ୍କ ଉପରେ ୩୮୦୦ କୋଟି ଟଙ୍କା ଜରିମାନା କରିଛନ୍ତି । ଏନଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଏ. ଗୋୟଲଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଦକ୍ଷିଣ ରାଜ୍ୟରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ଏକ ବଡ଼ ବ୍ୟବଧାନ ରହିଛି । ଜଷ୍ଟିସ ଗୋଏଲ, ଜଷ୍ଟିସ ଅରୁଣ କୁମାର ତ୍ୟାଗିଙ୍କ ଏକ ବେଞ୍ଚ କହିଛନ୍ତି ଯେ ଅତୀତର ଉଲ୍ଲଂଘନ ପାଇଁ ଦାୟୀ ସଂପୃକ୍ତ ରାଜ୍ୟ କ୍ଷତିପୂରଣ ଦେବ । ଏହି ନୀତି ଆଧାରରେ ନିଷ୍ପତ୍ତି ବା ଦଣ୍ଡ ନିର୍ଣ୍ଣୟ କରାଯିବ ଏବଂ ପରିବେଶର ପୁନରୁଦ୍ଧାର ପାଇଁ କ୍ଷତିପୂରଣ ରାଶି ବ୍ୟବହାର କରାଯିବ । ବେଞ୍ଚ କହିଛନ୍ତି ଯେ ଉତ୍ତମ ଶାସନ ପାଇଁ ସ୍ୱଛ ବାୟୁ,ଜଳ,ପରିମଳ ଏବଂ ପରିଷ୍କାର ପରିବେଶ ଯୋଗାଇବା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ ଏବଂ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇବା ପାଇଁ ରାଜ୍ୟ ଏହାର ସାମ୍ବିଧାନିକ ଦାୟିତ୍ୱକୁ ତୁଛ କରିପାରିବ ନାହିଁ । ବେଞ୍ଚ କହିଛନ୍ତି ଯେ ତେଲେଙ୍ଗାନା ଦ୍ୱାରା ପ୍ରଦାନ କରାଯିବାକୁ ଥିବା ସମୁଦାୟ ପରିବେଶ କ୍ଷତିପୂରଣ ରାଶି ଉପରେ ଆକଳନ କରାଯିବା ପରେ ଏହା ସାମ୍ନାକୁ ଆସିଛି ଯେ ତରଳ କିମ୍ବା ସ୍ୱେରେଜ୍‌ ପରିଚାଳନାରେ ପାର୍ଥକ୍ୟ ୩,୬୪୮ କୋଟି ଟଙ୍କା ରହିଛି । ଏଥି ସହିତ ବୈଜ୍ଞାନିକ ଢଙ୍ଗରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ରାଜ୍ୟର ବିଫଳତା ପାଇଁ କ୍ଷତିପୂରଣ ରାଶି ହେଉଛି ୧୭୭ କୋଟି ଟଙ୍କା । ବେଞ୍ଚ କହିଛନ୍ତି ଯେ ମୋଟ କ୍ଷତିପୂରଣ ୩,୮୨୫ କୋଟି କିମ୍ବା ୩,୮୦୦ କୋଟି ଟଙ୍କା ଦୁଇ ମାସ ମଧ୍ୟରେ ତେଲେଙ୍ଗାନା ସରକାର ଜମା କରିବେ ଏବଂ ପରିବେଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାନ ବ୍ୟବହାର କରାଯିବା ଉଚିତ ।

hiranchal ad1
Leave A Reply

Your email address will not be published.

sixteen − 16 =