ଚାରି ଧାମ ଯାତ୍ରା : ଦୁଇ ସପ୍ତାହରେ ଗଲାଣି ୪୧ ଜୀବନ

0 56

ଡେରାଡୁନ: ଚାରି ଧାମ ଯାତ୍ରା ଏବେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଛି । ମାତ୍ର ଦୁଇ ସପ୍ତାହରେଗଲାଣି ୪୧ରୁ ଅଧିକ ତୀର୍ଥଯାତ୍ରୀଙ୍କ ଜୀବନ । ଆହୁରି କେତେକ ଯାତ୍ରୀ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ମୃତ୍ୟୁର କାରଣ ହେଉଛି ଉଚ୍ଚ ରକ୍ତଚାପ, ହୃଦଘାତ ଓ ପାହାଡ଼ ଚଢ଼ିବା ସମୟରେ ଉପୁଜୁଥିବା ସମସ୍ୟା । ତେଣୁ ଏ ସବୁ ସମସ୍ୟା ଥିଲେ ଏହି ଯାତ୍ରାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଚାରି ଧାମ ଯାତ୍ରା ବେଳେ ସବୁଠୁ ଅଧିକ ମୃତ୍ୟୁ କେଦରନାଥ ଯାତ୍ରା ସମୟରେ ହେଉଛି । ଏହି ଯାତ୍ରା ସମୟରେ ୧୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯମୁନାତ୍ରୀ ଯାତ୍ରା ବେଳେ ୧୪, ବଦ୍ରିନାଥ ଯାତ୍ରା ବେଳେ ୮, ଗଙ୍ଗୋତ୍ରୀ ଯାତ୍ରା ବେଳେ ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ତେଣୁ ଯେଉଁମାନଙ୍କର ଏପରି ସ୍ୱାସ୍ଥ୍ୟ ସମସ୍ୟା ଅଛି, ସେମାନେ ପାହାଡ ନ ଚଢିବାକୁ ପ୍ରଶାସନ ପକ୍ଷରୁ ଉପଦେଶ ଦିଆଯାଉଛି । ଏନେଇ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡାକ୍ତର ଶୈଳଜା ଭଟ୍ଟ କହିଛନ୍ତି, ଋଷିକେଶ ଆଇଏସବିଟିରେ ଥିବା ପଞ୍ଜୀକରଣ କେନ୍ଦ୍ରରେ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଇଛି । ଏହାବାଦ ଯମୁନୋତ୍ରୀ ଓ ଗଙ୍ଗୋତ୍ରୀ ଯିବା ରାସ୍ତାରେ ଥିବା ଶିବିରରେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯାଇଛି । ତୀର୍ଥ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଡାକ୍ତର ଭଟ୍ଟ କହିଛନ୍ତି, ଯେଉଁ ଯାତ୍ରୀମାନଙ୍କର ଉଚ୍ଚ ରକ୍ତଚାପ, ହୃଦଘାତ ରହିଛି ତଥା ପାହାଡ ଚଢିବା ସମୟରେ ଅସ୍ୱସ୍ତି ଅନୁଭବ କରୁଛନ୍ତି,ସୁସ୍ଥ ହେବା ପରେ ଯାତ୍ରା କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଉଛି । ସରକାରୀ ସୂଚନା ମୁତାବକ, ଭକ୍ତଙ୍କ ପାଇଁ ବଦ୍ରିନାଥ ଦର୍ଶନ ଉନ୍ମୁକ୍ତ ହେବା ପରଠୁ ଗତ ୮ ତାରିଖରୁ ୧୬ ତାରିଖ ମଧ୍ୟରେ ୧୨,୬୪୬୩ ଯାତ୍ରୀ ଦର୍ଶନ କରି ସାରିଛନ୍ତି । ସେହିପରି ଗତ ୬ ତାରିଖରୁ ୧୬ ତାରିଖ ମଧ୍ୟରେ ୨୧, ୩୬୪୦ ଯାତ୍ରୀ କେଦାରନାଥ ଦର୍ଶନ କରି ସାରିଲେଣି । ୪ ଧାମ ଯାତ୍ରା ଆରମ୍ଭ ହେବା ପରଠୁ କେଦାରନାଥ ଓ ବଦ୍ରିନାଥ ଦର୍ଶନ ନିମନ୍ତେ କିଲୋମିଟର ବ୍ୟାପି ଭକ୍ତଙ୍କ ଲମ୍ବା ଲାଇନ୍‌ ଲାଗି ରହୁଛି । ଗତ ସୋମବାର ମୂଷଳ ଧାରା ବର୍ଷା ଯୋଗୁ ଭୁସ୍ଖଳନ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଏଥିଯୋଗୁ ଯାତ୍ରୀମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକି ରହିବାକୁ ପଡିଥିଲା । ଏହାପରେ ମଙ୍ଗଳବାର ସକାଳୁ ପୁଣି ଥରେ ଏହି ଯାତ୍ରା ଆରମ୍ଭ ହୋଇଛି ।

hiranchal ad1
Leave A Reply

Your email address will not be published.

five × five =