ଦେଶର ମିଡିଆ ଉଦ୍ୟୋଗର ଭବିଷ୍ୟତ ଉଜ୍ଜ୍ୱଳ : ଅନୁରାଗ

0 37

ନୂଆଦିଲ୍ଲୀ : ଦେଶରେ ଦ୍ରୁତଗତିରେ ବିକଶିତ ହେଉଛି ଡିଜିଟାଲ ଭିତ୍ତିଭୂମି ଏବଂ ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଙ୍ଗ ଓ କମିକ୍ସ) କ୍ଷେତ୍ର । ଏହାର ପ୍ରଗତି ଭାରତକୁ ବିଶ୍ୱର ପ୍ରମୁଖ ମିଡିଆ (ଗଣମାଧ୍ୟମ) ଓ ଏଣ୍ଟରଟେନମେଣ୍ଟ (ମନୋରଞ୍ଜନ)ର ପୋଷ୍ଟ ପ୍ରଡକ୍ସନ ହବ୍‌ରେ ପରିଣତ କରିବାକୁ ଦକ୍ଷତା ବହନ କରୁଛି । ଦେଶର ମିଡିଆ ଓ ଏଣ୍ଟରଟେନମେଣ୍ଟ ଏକ ଦ୍ରୁତ ବିକାଶୋନ୍ମୁଖୀ ଉଦ୍ୟୋଗ ଯାହାର ଭବିଷ୍ୟତ ଉଜ୍ଜ୍ୱଳ । ପୁଣେ ସ୍ଥିତ ସିମ୍ବାୟୋସିସ୍‌ ସ୍କିଲ ଓ ପ୍ରଫେସନାଲ ବିଶ୍ୱବିଦ୍ୟାଳୟର ‘ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନଶୀଳ ଦୃଶ୍ୟପଟ-୨୦୨୨’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ବକ୍ତୃତା ପ୍ରଦାନ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହା କହିଛନ୍ତି ।
ସେ କହିଛନ୍ତି ଯେ ଦେଶରେ ଏବେ ଏଭିଜିସି କ୍ଷେତ୍ରରେ ଏକ ଦୃଢ ଡିଜିଟାଲ ମୂଳଦୁଆ ତିଆରି ହୋଇଛି । ଦେଶର ଓ ବିଶ୍ୱର ଆବଶ୍ୟକତା ପୂରଣ ପାଇଁ ବିଶ୍ୱସ୍ତରୀୟ ସର୍ଜନାତ୍ମକ ପ୍ରତିଭା ବିକଶିତ କରିବାକୁ ସରକାର ଏଭିଜିସି କ୍ଷେତ୍ର ନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଦେଶର ମିଡିଆ ଓ ଏଂଟରଟେନମେଣ୍ଟ ଉଦ୍ୟୋଗର ଆକାର ୨୦୨୫ ସୁଦ୍ଧା ବାର୍ଷିକ ୪ଲକ୍ଷ କୋଟି ଟଙ୍କା ଛୁଇଁବା ଆଶା କରାଯାଉଛି । ଆଗକୁ ରେଡିଓ, ଫିଲ୍ମ ଏବଂ ମନୋରଞ୍ଜନ ଉଦ୍ୟୋଗରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଭିଡିଓ ଏଡିଟିଙ୍ଗ,କଲର ଗ୍ରେଡିଂ, ଭିଜୁଆଲ ଇଫେକ୍ଟ, ସାଉଣ୍ଡ ଡିଜାଇନ, ରୋଟୋସ୍କପିଙ୍ଗ ଓ ଥ୍ରୀଡି ମଡେଲିଂ ଆଦି କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇସାରିଲାଣି । ଏସବୁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କୌଶଳ ଓ ଦକ୍ଷତାର ଆବଶ୍ୟକତା ରହିଛି । ଅତଏବ ଏହି କ୍ଷେତ୍ରର ଆବଶ୍ୟକତା ପୂରଣ କ୍ଷେତ୍ରରେ ଉଦ୍ୟୋଗ ଓ ଶିକ୍ଷା ତଥା ଗବେଷଣା ଅନୁଷ୍ଠାନମାନେ ଆଗେଇ ଆସିବା ଉଚିତ । ଡିଜିଟାଲ ଇଣ୍ଡିଆର ସଫଳତା ମାଧ୍ୟମରେ ଭାରତର କଣ୍ଟେଣ୍ଟ କ୍ରିଏସନ (ବିଷୟବସ୍ତୁ ସୃଷ୍ଟି କରିବା) ଉଦ୍ୟୋଗ ଏକ ବଡ ପ୍ରୋତ୍ସାହନ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଉତ୍ତମ ମାନର ବିଷୟବସ୍ତୁ, ସହଜ ପହଂଚ ଓ ଆଗ୍ରହୀ ଶ୍ରୋତା/ଦର୍ଶକଙ୍କ ଉପସ୍ଥିତି ଭାରତକୁ ଏ କ୍ଷେତ୍ରରେ ତାହାର ସଫଳ କାହାଣୀ ବିଶ୍ୱ ସମୁଦାୟକୁ ଶୁଣାଇବାକୁ ପ୍ରସ୍ତୁତ ରହିଛି । ଏହା ଭାରତକୁ ବିଶ୍ୱର ଏକ ପ୍ରମୁଖ କଣ୍ଟେଣ୍ଟ ହବ୍‌ରେ ପରିଣତ କରିବାକୁ ଯାଉଛି । ଏହି ଜାତୀୟ ସମ୍ମିଳନୀରେ ଅସ୍କାର ବିଜୟୀ ସାଉଣ୍ଡ ଡିଜାଇନର ରେସୁଲ ପୁକୁଟ୍ଟୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 × 5 =