ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଲେ- ଲକଡାଉନ ପରେ କ’ଣ କରିବା କୁହନ୍ତୁ

0 224

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ(ଭିସି) ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି, କରୋନା ସଂକ୍ରମଣ ମୁକାବିଲା କାର୍ଯ୍ୟ ଏବଂ କରୋନା ପରବର୍ତ୍ତୀ ସମୟର ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଇଁ ସବୁଠୁ ବଡ ଚି୍‌ନ୍ତା ହେଉଛି ଯେ, ଅପ୍ରେଲ ୧୪ ତାରିଖରେ ଲକଡାଉନ ଅବଧି ସରିଯିବା ପରେ ଅର୍ଥାତ୍ ଲକଡାଉନ ପ୍ରତ୍ୟାହାର ପରେ ଲୋକମାନଙ୍କୁ କିପରି ନିୟନ୍ତ୍ରଣ କରାଯିବ । କାରଣ ଲକଡାଉନ ଉଠିଯିବା ପରେ ଲୋକମାନେ ବହୁ ସଂଖ୍ୟାରେ ଘରକୁ ବାହାରକୁ ଆସିବେ । ଏହା ସଂକ୍ରମଣକୁ ବଢାଇବାର ଆଶଙ୍କା ରହିଛି । ତେଣୁ ସେ କ୍ଷେତ୍ରରେ ପରିସ୍ଥିତିର ମୁକାବିଲା ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ର ସରକାର “ଗୋଟିଏ ପରିବାର’ ଭାବେ ମନକୁ ନେଇ ଏକ ମିଳିତ ରଣନୀତି ଆଧାରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାମାଜିକ ଦୂରତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଲକଡାଉନ୍ ଜାରି କରାଯାଇଛି । ବାହାରେ ଯେପରି ଲୋକ ଭିଡ ନହେବ ସେଥିପାଇଁ ଏହି ସାମାଜିକ ଦୂରତା ଲାଗୁ କରାଯିବ । ଲକଡାଉନ ସରିଗଲା ପରେ ଲୋକମାନେ ପୂର୍ବଭଳି ବାହାରକୁ ଆସିବେ ଏବଂ ସର୍ବସାଧାରଣରେ ଜନଗହଳି ଲାଗି ରହିବ । ତେଣୁ ଲକଡାଉନ ପରେ ତାହାକୁ କିପରି ଏଡାଯିବ, ସେ ନେଇ ଚିନ୍ତା କରି ପ୍ରସ୍ତାବ ଦେବା ଲାଗି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କହିବା ଅର୍ଥ ହେଉଛି ଲକଡାଉନ ପ୍ରତ୍ୟାହାର ପରେ ଜନଜୀବନ ସ୍ୱାଭାବିକ ହେଉ କିନ୍ତୁ ସଂକ୍ରମଣକୁ ରୋକାଯାଉ । ଏଥିପାଇଁ ଏକ ମିଳିତ ରଣନୀତି ଆବଶ୍ୟକ । ସବୁ ରାଜ୍ୟ ପରସ୍ପର ସହ ଆଲୋଚନା କରି କେନ୍ଦ୍ର ସହ ଯୋଗାଯୋଗ ରଖି ଏହି ରଣନୀତି ପ୍ରସ୍ତୁତ କରନ୍ତୁ ବୋଲି ସେ କହିଛନ୍ତି । ଲକଡାଉନ ସମୟରେ ଜନଗହଳିକୁ ବହୁମାତ୍ରାରେ ରକାଯାଇପାରିଛି ତଥାପି ଦେଶର ବହୁ ଅଂଚଳରେ ଲୋକେ ଲକଡାଉନକୁ ମାନୁନଥିବା ଦେଖିବାକୁ ମିଳିଛି । ଯେତେବେଳେ ଲକଡାଉନ ସମୟରେ ଲୋକେ ମାନୁନାହାନ୍ତି ଲକଡାଉନ ଉଠିଯିବା ପରେ କ’ଣ ହେବ ତାହା ଆଗୁଆ ଚିନ୍ତା କରି ପଦକ୍ଷେପ ନେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

8 − 6 =