ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ କ୍ୟାବିନେଟ ବୈଠକ : ବର୍ଷେ ପର୍ଯ୍ୟନ୍ତ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ସାଂସଦଙ୍କ ଦରମା ୩୦ ପ୍ରତିଶତ କଟିବ

0 104

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବନେଟ ବୈଠକରେ କରୋନା ପରିସ୍ଥିତି ଦୃଷ୍ଟିରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମନ୍ତ୍ରୀମାନଙ୍କ ଦରମା ବର୍ଷେ ପର୍ଯ୍ୟନ୍ତ ୩୦ ପ୍ରତିଶତ କାଟ ହେବ । ଅର୍ଥାତ ବର୍ଷେ ପର୍ଯ୍ୟନ୍ତ ସେମାନେ ଦରମାର ୭୦ ପ୍ରତିଶତ ଟଙ୍କା ପାଇବେ । ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଲାଗି ବୈଠକରେ ଏକ ଅଧ୍ୟାଦେଶକୁ ଅନୁମୋଦନ ପ୍ରଦାନ କରାଯାଇଛି । ସାଂସଦମାନେ ସେମାନଙ୍କର ଦରମାର ୭୦ ପ୍ରତିଶତ ଅର୍ଥ ଗ୍ରହଣ କରିବେ । ସେହିପରି ସାଂସଦ ଲୋକାଲ ଏରିଆ ଡେଭଲମେଣ୍ଟ ସ୍କିମ୍‌କୁ ସସପେଣ୍ଡ କରାଯାଇଛି । ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷର ସାଂସଦ ପାଣ୍ଠିକୁ ସ୍ଥଗିତ ରଖାଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛିି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ବସିଥିଲା । ଦେଶରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ହୋଇଛି ବୋଲି ଜାଭେଡକର କହିଛନ୍ତି । ସବୁ କେନ୍ଦ୍ରମନ୍ତ୍ରୀ ନିଜ ଘରେ କିମ୍ବା ଅଫିସରେ ଥାଇ ଏହି ବୈଠକରେ ସାମିଲ ହୋଇଥିଲେ । ଦରମାର ୩୦ ପ୍ରତିଶତ କାଟ୍ ପାଇଁ ଆସିଥିବା ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିନେଇଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜାଭେଡକର କହିଛନ୍ତି ଯେ, କରୋନାର ମୁକାବିଲା ପାଇଁ ପ୍ରଚୁର ପରିମାଣର ଅର୍ଥ ଦରକାର । ଲୋକଙ୍କ ଉପରେ ଆର୍ଥିକ ବୋଝ ପକାଯିବା ଠିକ୍ ହେବନାହିଁ । କାରଣ କରୋନା ଯୋଗୁଁ ସେମାନେ ଅସୁବିଧା ମଧ୍ୟ ଦେଇ ଗତି କରୁଛନ୍ତି । ତେଣୁ ସରକାରୀ ସ୍ତରରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

four × 1 =