ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ ! ଆହୁରି ବଢ଼ିବ ଦରଦାମ୍‌

0 34

କଲମ୍ବୋ : ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ । ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି । ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ କହିଛନ୍ତି । ଦେବାଳିଆ ହୋଇପଡ଼ିଥିବା ଦେଶକୁ ଆଗାମୀ ଦିନରେ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସେଠାରେ ଦୈନିକ ୧୩ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେଉଥିବାବେଳେ ତାହା ୧୫ ଘଣ୍ଟାକୁ ବଢ଼ିବା ସମ୍ଭାବନା ରହିଛି । ସରକାର ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି । ମହିନ୍ଦା ରାଜପାକ୍‌ସେଙ୍କ ଇସ୍ତଫା ପରେ ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା ରାନିଲ ଏବେ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି । ସଙ୍କଟର ସମାଧାନ ସୂତ୍ର ବାହାର କରିବା ନିମନ୍ତେ ସେ ସବୁ ରାଜନୈତିକ ଦଳଙ୍କୁ ନେଇ ଏକ ଜାତୀୟ ପରିଷଦ ଗଠନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।ଏଥିସହିତ ଶ୍ରୀଲଙ୍କା ଏୟାରଲାଇନ୍ସର ଘରୋଇକରଣ ଲାଗି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି । ପୂର୍ବ ସରକାର ୨.୩ ଟ୍ରିଲିୟନ ଶ୍ରୀଲଙ୍କା ଟଙ୍କାର ରାଜସ୍ୱ ସଂଗ୍ରହର ପୂର୍ବାନୁମାନ କରିଥିବାବେଳେ ତାହା ୧.୬ ଟ୍ରିଲିୟନକୁ ହ୍ରାସ ପାଇବ ବୋଲି କୁହାଯାଇଛି । ଦେଶରେ ୧୪ଟି ଜରୁରୀ ଔଷଧର ଅଭାବ ଦେଖାଦେଇଥିବାବେଳେ ଆଗାମୀ ଦିନରେ ଦରଦାମ୍‌ ଆହୁରି ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କର୍ମଚାରୀଙ୍କ ବେତନ ଓ ଜରୁରୀ ଖର୍ଚ୍ଚ ପାଇଁ ଟଙ୍କା ଛାପିବା ଜାରି ରଖିବାକୁ ହେବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

two × 2 =