ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପୁଣିଥରେ ପଦାରେ ପଡ଼ିଲା: ବିଜେଡି

0 44

ଭୁବନେଶ୍ୱର,: ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅବହେଳା କରି ଆସୁଛନ୍ତି । ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ, ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ଏବେ ପୁଣି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ ପକ୍ଷପାତିତାପୂର୍ଣ୍ଣ ଆଚରଣର ଆଉ ଏକ ପ୍ରମାଣ ପଦାକୁ ଆସିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ଶ୍ରୀମତୀ ସୁଲତା ଦେଓ । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଦ୍ୱୟ କହିଛନ୍ତି ଯେ ଗ୍ରାମୀଣ ଆବାସ ଯୋଜନାରେ ଲୋକଙ୍କୁ ଘର ଯୋଗାଇବାରେ ଓଡ଼ିଶା ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି । ମାତ୍ର ପ୍ରାୟ ୨ ବର୍ଷ ହେଲା କେନ୍ଦ୍ର ସରକାର ଆବାସ ଯୋଜନାରେ ଓଡ଼ିଶା ଲୋକଙ୍କୁ ଘର ମଞ୍ଜୁର କରୁନାହାନ୍ତି । ଏଥିରେ ପ୍ରତିବନ୍ଧକ ସାଜିଛନ୍ତି ଓଡ଼ିଶାର ବିଜେପି ସାଂସଦମାନେ । ଓଡ଼ିଶାବାସୀ ବିଜେପି ସାଂସଦମାନଙ୍କୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ପଠାଇଥିବାବେଳେ ସେମାନେ ଏହାର ବିପରୀତ ଆଚରଣ କରୁଛନ୍ତି । ମୁଖ୍ୟତଃ କେବିକେ ଜିଲ୍ଲାର ମୁଣ୍ଡ ଉପରେ ଛାତ ନଥିବା ୬ ଲକ୍ଷ ୬୫ ହଜାର ଗରିବ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଓଡ଼ିଶାର ବିଜେପି ସାଂସଦମାନେ ଷଡ଼ଯନ୍ତ୍ର କରି ଏହାକୁ ଅଟକାଇ ରଖିଛନ୍ତି । କେନ୍ଦ୍ର ସରକାର ଆବାସ ପୋର୍ଟାଲ ଖୋଲୁନଥିବାରୁ ଓଡ଼ିଶା ସରକାରଙ୍କ ଏ ସମ୍ପର୍କିତ ଡାଟା ସ୍ଥାନାନ୍ତର ହୋଇପାରୁ ନାହିଁ । ପୋର୍ଟାଲ ଖୋଲିବା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ପୂର୍ବରୁ ଚିଠି ଲେଖିଲେ ମଧ୍ୟ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ କର୍ଣ୍ଣପାତ କରୁନାହାନ୍ତି । ଦୈବୀ ଦୁର୍ବିପାକ ଯୋଗୁଁ ଓଡିଶା ବାରମ୍ବାର କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଗରିବ ଓଡ଼ିଆ ଲୋକଙ୍କୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ କରି ରଖାଯାଇଛି । ଖାଲି ସେତିକି ନୁହେଁ, ୨୦୧୯ ମେ’ ମାସରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳର ୧.୮୪ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ଘର ମଞ୍ଜୁର ହୋଇଥିଲେ ବି ତାହା ଏଯାଏଁ ପ୍ରଦାନ କରାଯାଇ ନାହିଁ । ଏଭଳି ସ୍ଥିତିରେ ନିକଟରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ଲାଗି ଆବାସ ପୋର୍ଟାଲ ଖୋଲିଛନ୍ତି । କିନ୍ତୁ ଓଡ଼ିଶାର ହକ୍‌କୁ ଷଡ଼ଯନ୍ତ୍ର କରି କାଟି ଦେଇଛନ୍ତି । ଏଥିରୁ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଏବଂ ଓଡ଼ିଶାର ବିଜେପି ସାଂସଦମାନଙ୍କ ଚକ୍ରାନ୍ତ ଜଳଜଳ ହୋଇ ଦେଖାଯାଉଛି । ଆଜି ମଧ୍ୟ ଆମ ପଞ୍ଚାୟତିରାଜ ମନ୍ତ୍ରୀ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଚିଠି ଲେଖି ଓଡ଼ିଶା ପାଇଁ ଆବାସ ପୋର୍ଟାଲ ଖୋଲିବାକୁ ପୁଣି ଅନୁରୋଧ କରିଛନ୍ତି । ଯଦି କେନ୍ଦ୍ର ସରକାର ଏହି ଦାବି ପୂରଣ ନ କରନ୍ତି ତେବେ ସଚେତନ ଓଡ଼ିଶାବାସୀ ଓଡ଼ିଶା ପ୍ରତି ଏହି ଅବହେଳା ଓ ଏଭଳି ହୀନ ରାଜନୀତିକୁ କେବେବି ବରଦାସ୍ତ କରିବେ ନାହିଁ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀମତୀ ମିଶ୍ର ଓ ଶ୍ରୀମତୀ ଦେଓ କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 + one =