ଗରମ କଢାଇ ରେ ସିଝୁଛି ପଶ୍ଚିମ ଓଡିଶା

0 637

ସମ୍ବଲପୁର, ଆଜି ସହିତ ଗତକାଲି ମହାବିଷୁବ ସଙ୍କ୍ରାନ୍ତି ଦୁଇଦିନ ଧରି ଉତ୍ତପ୍ତ ଖରା ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମଗ୍ର ପଶ୍ଚିମ ଓଡିଶାର ସ୍ଥିତି ଗରମ କଢାଇ ରେ ସିଝିଲା ପରି ହୋଇ ରହିଛି । ଧରାପୃଷ୍ଠ ଓ ବାୟୁମଣ୍ଡଳ ର ଉତ୍ତପ୍ତ ତାପମାତ୍ରା ଯୋଗୁଁ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିବା ସହିତ ଜନସାଧାରଣ ଘରୁ ବାହାରୁ ନ ଥିବାରୁ ରାସ୍ତାଘାଟ ପ୍ରାୟ ଜନଶୂନ୍ୟ ହୋଇ ରହୁଛି । ଆଜି ଏଠାରେ ସମ୍ବଲପୁର ରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଥିବା ସହିତ ଏହା ଗତକାଲି ୪୧.୨ ଡିଗ୍ରୀ ରହିଥିଲା । ସେହିପରି ଗତକାଲି ଏହି ତାପମାତ୍ରା ହୀରାକୁଦ ରେ ୪୦.୯, ଝାରସୁଗୁଡା ରେ ୪୧.୪, ଭବାନୀପାଟଣା ରେ ୪୧.୦ ଓ ଟିଟିଲାଗଡ଼ ରେ ୪୩.୫ ଡିଗ୍ରୀ ରହିଥିଲା । ଚାରିଆଡେ ଏପରି ଉତ୍ତପ୍ତ ବାତାବରଣ ରହିଥିବା ବେଳେ ରାସ୍ତାଘାଟରେ ବାଟୋଇ କୁ ପିଇବା ପାଣି ମନ୍ଦାଏ ମିଳି ନ ପାରିବା ଏଠାରେ ଚିନ୍ତା ର କାରଣ ହୋଇଛି । ମାତ୍ର ସପ୍ତାହେ ଆଗରୁ ଜିଲ୍ଲା ମୁଖ୍ୟାଳୟ ରେ ପ୍ରବଳ ଖରା ଓ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନସାଧାରଣ ଙ୍କୁ ପିଇବାକୁ ପାଣି ପହଞ୍ଚିବା କଥା ଓ ଏହି ବିଷୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ତାଗିଦ କରାଯାଇଥିଲା । କିନ୍ତୁ ପରିତାପର ବିଷୟ ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କୌଣସି ଠାରେ ସରକାରୀ ସ୍ତରରେ ଜଳଛତ୍ରଟିଏ ମଧ୍ୟ ଆରମ୍ଭ କରାଯାଇ ପାରି ନାହିଁ । ଅବଶ୍ୟ ଘରୋଇ ପ୍ରଚେଷ୍ଟାରେ କିଛି କିଛି ସ୍ଥାନରେ ଏହି ସୁବିଧା ଦିଆଯାଉଛି । ସେମିତି ତ ମୁଖ୍ୟ ସ୍ଥାନ ମାନଙ୍କରେ ସରକାରଙ୍କ ପକ୍ଷରୁ ଅମୃତଧାରା ପରିଯୋଜନା ନା ରେ ଶୀତଳ ପେୟଜଳ ଉପଲବ୍ଧ କରାଯିବାର ବ୍ୟବସ୍ଥା ରହିଛି, ଅପେକ୍ଷିତ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଅଚଳାବସ୍ଥା ରେ ପଡିରହିଛି । ଏପଟେ ନିର୍ବାଚନ ଡ୍ୟୁଟି ନାମରେ ଜିଲ୍ଲା ପ୍ରଶାସନ ସହିତ ନଗର ନିଗମର କୌଣସି ପ୍ରଶାସନିକ ଅଧିକାରୀ ଜନସାଧାରଣଙ୍କର ଆପତ୍ତି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି, ତ ଗୁହାରି ଶୁଣିବ କିଏ?

hiranchal ad1
Leave A Reply

Your email address will not be published.

one × 4 =